ଗୁଜରାଟ ମୁହାଁଇଛି ବଡ଼ବାତ୍ୟା ‘ବିପର୍ଯ୍ୟୟ’: ସେନାର ୩ ବାହିନୀକୁ ରଖାଗଲା ସଜାଗ

ଆରବ ସାଗରରେ ସୃଷ୍ଟି ହୋଇଥିବା ବଡ଼ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଭୀଷଣ ରୂପ ଧାରଣ କରି ଗୁଜୁରାଟ ଉପକୂଳ ଆଡ଼କୁ ମୁହାଁଉଛି।

ଗୁଜରାଟ ମୁହାଁଇଛି ବଡ଼ବାତ୍ୟା ‘ବିପର୍ଯ୍ୟୟ’: ସେନାର ୩ ବାହିନୀକୁ ରଖାଗଲା ସଜାଗ

ଆରବ ସାଗରରେ ସୃଷ୍ଟି ହୋଇଥିବା ବଡ଼ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଭୀଷଣ ରୂପ ଧାରଣ କରି ଗୁଜୁରାଟ ଉପକୂଳ ଆଡ଼କୁ ମୁହାଁଉଛି। ଗୁଜରାଟର ପୋରବନ୍ଦରରେ ବୁଧବାର ପ୍ରବଳ ପବନ ସହ ପ୍ରବଳ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ ଗଛ ଉପୁଡ଼ି ପଡ଼ିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ, ଲାକ୍ଷାଦ୍ୱୀପ ସମେତ ଅନେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରିଛି। ସମୁଦ୍ର ଅଶାନ୍ତ ହୋଇଯାଇ ଥିବାରୁ ଗୁଜୁରାଟର ବନ୍ଦରଗୁଡ଼ିକ ବନ୍ଦ ରହିଛି ଏବଂ ଜାହାଜଗୁଡ଼ିକୁ ଲଙ୍ଗର କରାଯାଇଛି।

ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ତିନି ସେନା ମୁଖ୍ୟଙ୍କ ସହ କଥା ହୋଇ ବାତ୍ୟା ‘ବିପର୍ଯ୍ୟୟ’ ପ୍ରଭାବର ମୁକାବିଲା ପାଇଁ ସଶସ୍ତ୍ର ବାହିନୀର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ତିନି ସେନା ମୁଖ୍ୟଙ୍କ ସହ କଥା ହୋଇ ବାତ୍ୟା ‘ବିପର୍ଯ୍ୟୟ’ର ଲ୍ୟାଣ୍ଡଫଲ୍‌ ପାଇଁ ସଶସ୍ତ୍ର ବାହିନୀର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ବାତ୍ୟା ଜନିତ ଯେକୌଣସି ପରିସ୍ଥିତି କିମ୍ବା ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ପାଇଁ ସଶସ୍ତ୍ର ବାହିନୀ ବେସାମରିକ କର୍ତ୍ତୃପକ୍ଷଙ୍କୁ ଯଥାସମ୍ଭବ ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ଅଛି।