ବ୍ରାଜିଲ୍ରେ ବିମାନ ଦୁର୍ଘଟଣା, ୬୨ ମୃତ
ଅପରାହ୍ନ ୧ଟା ୩୦ରେ ବିମାନ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।
ବ୍ରାଜିଲ୍ର ସାଓ ପଲୋରେ ଆଜି ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଛି। ଜନବସତି ଅଂଚଳରେ ବିମାନଟି ଖସିବା ପରେ ଜଳିଯାଇଛି। ବିମାନରେ ମୋଟ୍ ୫୮ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ। ଦୁର୍ଘଟଣାରେ ସମସ୍ତ ୬୨ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ତେବେ ମୃତାହତଙ୍କ ସଂପର୍କରେ ସରକାରୀ ଭାବେ କୌଣସି ତଥ୍ୟ ଜାରି ହୋଇନାହିଁ।
ଅପରାହ୍ନ ୧ଟା ୩୦ରେ ବିମାନ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।
ଭୋଏପାସ ଲିନହାସ ଏରିଜ୍ ଦ୍ବାରା ପରିଚାଳିତ ଏଟିଆର-୭୨ ବିମାନ ଆଜି ବ୍ରାଜିଲ୍ର କାସକାଭେଲ୍ରୁ ପୂର୍ବାହ୍ନ ୧୧ଟା ୩୦ରେ ଉଡ଼ାଣ ଆରମ୍ଭ କରି ସାଓ ପଲୋ ଅଭିମୁଖେ ଯାଉଥିବାବେଳେ ଭିନହେଡୋ ସହରରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ତେବେ କେଉଁ କାରଣ ପାଇଁ ଏହି ଯାତ୍ରୀବାହୀ ବିମାନ ଦୁର୍ଘଟଣାର ସମ୍ମୁଖୀନ ହେଲା ତାହା ଜଣାପଡ଼ିନାହିଁ। ବ୍ରାଜିଲ 'ଗ୍ଲୋବ୍ନ୍ୟୁଜ୍' ପକ୍ଷରୁ ସେୟାର କରାଯାଇଥିବା ଏକ ଫୁଟେଜ୍ ଅନୁଯାୟୀ ବିମାନଟି ଖସି ପଡ଼ିବାପରେ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲ୍ଭା ଏହି ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ବିମାନର କୌଣସି ଯାତ୍ରୀ ଜୀବିତ ଥିବା ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।








