ବିଏମ୍ସି ଗାଡ଼ିରେ ଜିପିଏସ୍ କେଳେଙ୍କାରୀ
ବିଏମ୍ସିର ସବୁ ଗାଡ଼ିରେ ଜିପଏସ୍ ଟ୍ରାକିଂ ଯନ୍ତ୍ର ଲାଗିଛି

ବିଏମ୍ସିର ସବୁ ଗାଡ଼ିରେ ଜିପଏସ୍ ଟ୍ରାକିଂ ଯନ୍ତ୍ର ଲାଗିଛି। କେଉଁ ଗାଡ଼ି କୁଆଡ଼େ ଗଲା? କେଉଁଠି ରହିଲା? ସେ ନେଇ ପ୍ରତି ମୁହୂର୍ତ୍ତର ଖବର ରଖିପାରିବେ ଅଧିକାରୀ। ହେଲେ ଏଥିରେ ବଡ଼ କେଳେଙ୍କାରୀ ହୋଇଛି। ବିନା ଟେଣ୍ଡରରେ ଠିକା ସଂସ୍ଥା ଚୟନ କରା ଯାଇଥିବାରୁ ଏଥିରେ ଲକ୍ଷଲକ୍ଷ ଟଙ୍କାର ହେରଫେର ହୋଇଛି। ଅଧିକାରୀ ନିଜ ହାତ ଚିକ୍କଣ କରିଥିବା ବେଳେ ବିଏମ୍ସି ରାଜସ୍ବ ହରାଇଛି।
ବଡ଼କଥା ହେଉଛି ଅଫିସର ଚତୁରତାର ସହ କର୍ପୋରେସନ ମୁଣ୍ଡରେ ଅଠା ବୋଳି ଦେଇଛନ୍ତି। ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଠିକା ଦେଇ ସାରିବା ପରେ କର୍ପୋରେସନର ସ୍ବୀକୃତି ନେଇଛନ୍ତି। କର୍ପୋରେଟରମାନେ ମଧ୍ୟ ଏଥିରେ ପ୍ରତିବାଦ କରିନାହାନ୍ତି। ତେବେ ଜଣେ ଓକିଲ ଏହାକୁ ନେଇ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି।
ବିଏମ୍ସି ବ୍ୟବହାର କରୁଥିବା ୬୦୦ଟି ସଫେଇ ସମେତ ଅନ୍ୟାନ୍ୟ ଗାଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଏକ ସ୍ବତନ୍ତ୍ର ସଫ୍ଟୱେର ପ୍ରସ୍ତୁତ କରିବା ପାଇଁ ଡାଇମେନ୍ସନ୍ ଡିଜିଟାଲ୍କୁ ଦାୟିତ୍ବ ଦିଆଯାଇଥିଲା। ଏଥିପାଇଁ ୩୫ଲକ୍ଷ ୮୦ହଜାର ୧୨୦ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ଖର୍ଚ୍ଚ ଏଚ୍ଡିଏଫ୍ସି ବ୍ୟାଙ୍କ୍ର କର୍ପୋରେଟ୍ ସୋସିଆଲ୍ ରେସ୍ପନ୍ସିବିଲିଟି(ସିଏସ୍ଆର୍) ପାଣ୍ଠିରୁ କରାଯାଇଥିଲା। ଏଣୁ ସମ୍ପୃକ୍ତ ବ୍ୟାଙ୍କ୍ ଏହି ସଂସ୍ଥାକୁ ଚୟନ କରିଥିବାରୁ ବିଏମଖ୍ସି ପାଖରେ ଟେଣ୍ଡର ପାଇଁ ସୁଯୋଗ ନଥିବା କହିଥିଲା। ସଫ୍ଟୱେର ପ୍ରସ୍ତୁତ ହେବା ପରେ ୬୦୦ ଗାଡ଼ିରେ ଜିପିଏସ୍ ବ୍ୟବହାର କରାଯିବା ପାଇଁ ଯୋଜନା ହୋଇଥିଲା। କିନ୍ତୁ ଏଚ୍ଡିଏଫ୍ସି ବ୍ୟାଙ୍କ୍ ସିଏସ୍ଆର୍ ଫଣ୍ଡ ଖର୍ଚ୍ଚ କରି ନଥିଲା। ଅର୍ଥାତ୍ ଜିପିଏସ୍ ଲଗାଇବା ପାଇଁ ବିଏମ୍ସି ନିଜ ପାଣ୍ଠିରୁ ଖର୍ଚ୍ଚ କରିବାକୁ ଯୋଜନା କରିଥିଲା। ଟେଣ୍ଡର ଜରିଆରେ ଠିକା ସଂସ୍ଥା ଚୟନ କରିଥିଲେ ସର୍ବନିମ୍ନ ଖର୍ଚ୍ଚ ପାଇଁ ବାଟ ଫିଟିଥା’ନ୍ତା। କିନ୍ତୁ ବିଏମ୍ସି ଟେଣ୍ଡର ନ କରି ଡାଇମେନ୍ସନ୍ ଡିଜିଟାଲ୍କୁ ଦାୟିତ୍ବ ଦେଇଥିଲା। ଏଥିପାଇଁ ୪୧ଲକ୍ଷ ୨୦ ହଜାର ୮ଶହ ଟଙ୍କା ଖର୍ଚ୍ଚ କରିଥିଲା ବିଏମ୍ସି। ଏହି ଖର୍ଚ୍ଚ ପୂର୍ବରୁ କର୍ପୋରେସନକୁ ଅବଗତ କରାଯାଇ ନଥିଲା କିମ୍ବା କର୍ପୋରସନର ସ୍ବୀକୃତି ନିଆଯାଇ ନଥିଲା।