ଏଟିଏମ୍ରୁ ବାହାରିବ ଚାଉଳ
ଏଣିକି ୨୪ ଘଣ୍ଟା ମିଳିବ ରାସନ

ଏଟିଏମ୍ରୁ ବାହାରିବ ଚାଉଳ । ଟିପ ଚିହ୍ନରେ ବାୟୋମେଟ୍ରିକ ଯାଞ୍ଚ ପରେ ଟଙ୍କା ଭଳି ବାହାରିବ ଚାଉଳ କିମ୍ବା ଗହମ । କଣ୍ଟ୍ରୋଲ ଦୋକାନରେ ଲମ୍ବା ଲାଇନରେ ଛିଡ଼ା ନ ହୋଇ ଏଟିଏମରୁ ଚାଉଳ ପାଇପାରିବେ ରାସନକାର୍ଡଧାରୀ । ବିଶ୍ୱାସ ହେଉନି କି? ରାଜ୍ୟରେ ପ୍ରଥମ କରି ଗ୍ରେନ୍ ଏଟିଏମ୍ ପ୍ରତିଷ୍ଠା ହେବାକୁ ଯାଉଛି ।
ପ୍ରାଥମିକ ପ୍ରର୍ଯ୍ୟାୟରେ ରାଜଧାନୀର ମଞ୍ଚେଶ୍ୱରରେ ଏହି ଏଟିଏମ୍ ଖୋଲିବ । ରାଜ୍ୟରେ ଏହା ହେବ ପ୍ରଥମ ଗ୍ରେନ୍ ଏଟିଏମ୍ ।
ୱାଲର୍ଡ ଫୁଡ୍ ପୋଗ୍ରାମ (ଡବ୍ଲୁଏଫ୍ପି) ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମିଳିତ ସହଯୋଗରେ ଏହି ଏଟିଏମ୍ ପ୍ରତିଷ୍ଠା କରାଯିବ । ଏଥିପାଇଁ ଡବ୍ଲୁଏଫ୍ପି ସମସ୍ତ ସହଯୋଗ ଯୋଗାଇ ଦେବ । ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜାଗା ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଛନ୍ତି ।
ଜଣେ ହିତାଧିକାରୀ ପ୍ରଥମେ ବାୟୋମେଟ୍ରିକ୍, ରାସନ କାର୍ଡ, କିମ୍ବା ଆଧାରକାର୍ଡ ମେସିନ୍ରେ ଦେବାକୁ ହେବ । ଏହା ପରେ ମେସିନରେ ଚାଉଳ କିମ୍ବା ଗହମ ଅପସନ୍ ମାଗିବ । ସେଠାରେ ଟଚ୍ ସ୍କ୍ରିନ୍ରେ ଏଣ୍ଟ୍ରି କରିବା ପରେ ଆପେ ଆପେ ଚାଉଳ ଆସିବ । ତେବେ ଇଂରାଜୀ ବଦଳରେ ମେସିନ୍ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ କରିବାକୁ ଯୋଜନା କରାଯାଇଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।