ବିଧାନସଭାରେ ଶାଣିତ ହେବ ବିଜେଡି ସ୍ଵର

ବିଧାନସଭାରେ ଶାଣିତ ହେବ ବିଜେଡି ସ୍ଵର

ବିଧାନସଭାରେ ଶାଣିତ ହେବ ବିଜେଡି ସ୍ବର । ଆଗାମୀ ବିଧାନସଭା ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କଲା ଦଳ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆଜି ବିଜେଡି ବିଧାୟକ ଦଳ ବୈଠକ ହୋଇଛି । ଯେଉଁଥିରେ ଦଳୀୟ ବିଧାୟକଙ୍କୁ ମନ୍ତ୍ର ଦେଇଥିଲେ ନବୀନ । କହିଥିଲେ ଏଥର ବିଧାନସଭାରେ ସାଧାରଣ ଲୋକଙ୍କ ପ୍ରସଙ୍ଗକୁ ଶାଣିତ ଢ଼ଙ୍ଗରେ ଉଠାଇବ ଦଳ । ବିଜେପି ଯେଉଁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛି ସେସବୁ ପ୍ରତିଶ୍ରୁତି ପାଳନ ହେଉଛି ନା’ ନାହିଁ ତାହା ଉପରେ ନଜର ରଖିବ ବିଜେଡି । ସରକାରଙ୍କୁ ବିଭିନ୍ନ କାମର ହିସାବ ମାଗିବ ଦଳ । 

ସୂଚନାଯୋଗ୍ୟ, ଦୀର୍ଘ ୨୪ ବର୍ଷ କ୍ଷମତାରେ ରହିବା ପରେ ପ୍ରଥମ ଥର ପରାଜୟର ସ୍ଵାଦ ଚାଖିଥିବା ବିଜୁ ଜନତା ଦଳ ଏବେ ବିରୋଧୀ ଦଳ ଭୂମିକାରେ। ପରାଜୟର ଗ୍ଲାନିକୁ ଭୁଲି ଦୃଢ ବିରୋଧୀ ଦଳ ଭାବେ ରାଜ୍ୟ ସରକାରଙ୍କୁ ପ୍ରତିଟି କ୍ଷେତ୍ରରେ ଉତ୍ତରାଦାୟୀ କରାଇବା ପାଇଁ ପ୍ରସ୍ତୁତ ବିଜେଡି। ଦଳର ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଆସିଛି। ଏହାର ଝଲକ ସଂସଦର ଉଚ୍ଚ ସଦନ ରାଜ୍ୟସଭାରେ ଦେଖିବାକୁ ମିଳିଛି। କେନ୍ଦ୍ରରେ ହେଉ କି ରାଜ୍ୟରେ ବିଜେଡି ଏକ ଦୃଢ ବିରୋଧୀ ଦଳର ଭୂମିକା ନିର୍ବାହ କରିବ ବୋଲି ସ୍ପଷ୍ଟ ସଙ୍କେତ ଦେଇ ସାରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟର ବିଭିନ୍ନ ବିଭାଗରେ ସରକାରଙ୍କ କାର୍ଯ୍ୟ ଉପରେ ପ୍ରତ୍ୟେକ୍ଷ ଭାବେ ନଜର ରଖିବା, ବିଧାନସଭାରେ ଏ ସଂପର୍କରେ ପ୍ରଶ୍ନ କରିବା ଏବଂ ରାଜ୍ୟ ସରକାରଙ୍କୁ ଉତ୍ତରଦାୟୀ କରିବା ପାଇଁ ବିଜେଡିର ୫୦ ବିଧାୟକଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି ଦଳ ସୁପ୍ରିମୋ।