ବିନା ଆଇଡି ପ୍ରୁଫରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ନିଷ୍ପତ୍ତିକୁ ବିରୋଧ

ବିନା ଆଇଡି ପ୍ରୁଫରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ବିରୋଧ କରି ଦାୟର ଏକ ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ ।

ବିନା ଆଇଡି ପ୍ରୁଫରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ନିଷ୍ପତ୍ତିକୁ ବିରୋଧ

ବିନା ଆଇଡି ପ୍ରୁଫରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ବିରୋଧ କରି ଦାୟର ଏକ ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟର ଅବକାଶ କାଳୀନ ଖଣ୍ଡପୀଠ ଗୁରୁବାର କହିଛନ୍ତି ଯେ ଏହି ଆବେଦନର ଜରୁରୀ ଶୁଣାଣି ପାଇଁ ଯୋଗ୍ୟ ନୁହେଁ । ଗ୍ରୀଷ୍ମ ଛୁଟି ପରେ ପ୍ରଧାନ ବିଚାରପତିଙ୍କୁ ଏହି ମାମଲାର ଶୁଣାଣି ପାଇଁ ଅନୁରୋଧ କରିବାକୁ ଆବେଦନକାରୀଙ୍କୁ କୋର୍ଟ କହିଛନ୍ତି।

ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଆଇଡି ପ୍ରୁଫ୍ ବିନା ୨୦୦୦ ଟଙ୍କିଆ ନୋଟ୍ ବିନିମୟ ବିରୋଧରେ ଆବେଦନ ଖାରଜ କରିଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଆଇଡି ପ୍ରୁଫ୍ ଏବଂ ଜମା ସ୍ଲିପ୍ ବିନା ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବାକୁ ସୁବିଧା ଦିଆଯାଇଛି। ଏହା ବିରୋଧରେ ବିଜେପି ନେତା ଓ ଓକିଲ ଅଶ୍ୱିନୀ ଉପାଧ୍ୟାୟ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ହାଇକୋର୍ଟ ଏହି ଆବେଦନ ଖାରଜ କରିଥିଲେ ।

ଏହା ପରେ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଅଶ୍ୱିନୀ ଉପାଧ୍ୟାୟ ଯୁକ୍ତି କରିଥିଲେ ଯେ, ନୋଟ୍ ବଦଳାଇବା ବ୍ୟକ୍ତିର ପରିଚୟ ଯାଞ୍ଚ୍ ନ କରିବା ଯୋଗୁଁ ଦୁର୍ନୀତିଗ୍ରସ୍ତ ତଥା ରାଷ୍ଟ୍ର ବିରୋଧୀ ଶକ୍ତି ଉପକୃତ ହେଉଛନ୍ତି। ତାଙ୍କ ଆବେଦନରେ ଅଶ୍ୱିନୀ ଉପାଧ୍ୟାୟ ଯୁକ୍ତି କରିଥିଲେ ଯେ ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ମନମୁଖୀ । ଏହାକୁ ଅନୁମୋଦନ କରି ହାଇକୋର୍ଟ ଭୁଲ କରିଛନ୍ତି।

ମେ ୧୯ରେ ରିଜର୍ଭ ବ୍ୟାଙ୍କ ଏକ ବିଜ୍ଞପ୍ତି ଜାରି କରି ୨୦୦୦ ଟଙ୍କିଆ ନୋଟ୍ ବଜାରରୁ ପ୍ରତ୍ୟାହାର କରିଥିଲା । ତେବେ ଏହି ନୋଟ୍ ବୈଧ ରହିବ ଓ ଲୋକମାନେ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ | ଲୋକଙ୍କୁ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି।