ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଜଳିଗଲା କାର, ୪ ଆହତ
ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ବୀର ଗୋବିନ୍ଦପୁର ଛକ ନିକଟରେ ଆଜି ଏକ ଭୟାବହ ଦୁର୍ଘଟଣା ଘଟିଅଛି। ଏହି ଦୁର୍ଘଟଣାରେ ଏକ କାର ଓ ଦୋକାନ ଜଳି ଯାଇଅଛି। କାରରେ ଥିବା ୪ ଜଣ ଆରୋହୀ ଗୁରୁତର ଆହତ ହୋଇଛନ୍ତି

ସାକ୍ଷୀଗୋପାଳ: ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ବୀର ଗୋବିନ୍ଦପୁର ଛକ ନିକଟରେ ଆଜି ଏକ ଭୟାବହ ଦୁର୍ଘଟଣା ଘଟିଅଛି। ଏହି ଦୁର୍ଘଟଣାରେ ଏକ କାର ଓ ଦୋକାନ ଜଳି ଯାଇଅଛି। କାରରେ ଥିବା ୪ ଜଣ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ସମୟରେ ଦୋକାନୀ ବାହାରେ ଥିବାରୁ ଏହି ଅଘଟଣରୁ ବର୍ତ୍ତି ଯାଇଛନ୍ତି।
ପରିବାର ସହ ଜଗନ୍ନାଥ ଦର୍ଶନ ପାଇଁ ଯିବା ବେଳେ ଘଟିଲା ଅଘଟଣ । ଭାରସାମ୍ୟ ହରାଇ ଏହି କାର୍ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହେବାରୁ ଏକ ପରିବାରର ୩ ଜଣଙ୍କ ସମେତ ସମୁଦାୟ ୪ ଜଣ ଗୁରୁତର ହୋଇଛନ୍ତି। ଏହି ୱାଗନର କାର୍ ଆଜି ସକାଳେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲା। ଏହି ସମୟରେ କାର୍ରେ ପତି, ପତ୍ନୀ ଓ ଛୋଟ ଛୁଆ ଥିବା ବେଳେ ଡ୍ରାଇଭର ଗାଡ଼ି ଚଳାଉଥିଲେ।
କାର ଆରୋହୀ ପ୍ରସନ୍ନଜିତ ରାୟ, ତାଙ୍କ ସ୍ତ୍ରୀ ସୋମରାୟ ସରକାର ଓ ୧୨ ବର୍ଷର ପୁଅ ସମେତ ସୋପନ ସରକାର ଗୁରୁତର ଆହତ ଅବସ୍ଥାରେ କାର ଭିତରୁ ବାହାରି ଆସିଥିଲେ।ସ୍ଥାନୀୟ ଜନସାଧାରଣ ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୁରୀ ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ତହସିଲଦାର ଜୟନ୍ତ କୁମାର ଜୟ ସିଂ, ବିଡ଼ିଓ ଲୋଚନ ଦାସ ଓ ପ୍ରକାଶ ଖଟୋଇ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଆହତ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଆବଶ୍ୟକ ଚିକିତ୍ସା କଥା ବୁଝିଥିଲେ। କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ ନମ୍ବର ଜଣା ପଡ଼ିନାହିଁ ।
ଏହି ଦୁର୍ଘଟଣାରେ ବିରଞ୍ଚି ଭୋଇଙ୍କ କ୍ୟାବିନ, ୨ ଗୋଟି ଫ୍ରିଜ, ଗ୍ୟାସ ଚୁଲା, ଗ୍ୟାସ ସିଲିଣ୍ଡର, ସିଗାରେଟ, ବିସ୍କୁଟ ଓ ମନୋହରି ସାମଗ୍ରୀ ଆଦି ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ଯାଇଅଛି। ଖବରପାଇ ସାକ୍ଷୀଗୋପାଳରୁ ଦମକଳ ଯାଇ ନିଆଁକୁ ଆୟତ୍ତ କରିଥିଲେ l ୧୧ କେଭି ବିଦ୍ୟୁତ ତାର ଛିଡି ଯାଇଥିବାରୁ କିଛି ସମୟ ନିମନ୍ତେ ବିଦ୍ୟୁତ ବିଭ୍ରାଟ ହୋଇଥିଲା।
ଖବର ପାଇ ପିପିଲି ଅଗ୍ନିଶମ ବାହିନୀ ପହଞ୍ଚି କାର୍ ନିଆଁକୁ ଆୟତ୍ତ କରିଛନ୍ତି।